ସୁକିନ୍ଦାରେ ସୀମା ଟପିଲାଣି ଗୁଣ୍ଡାରାଜ,ଶିକ୍ଷୟିତ୍ରୀଙ୍କୁ ହତ୍ୟା ଧମକ ଓ ଝିଅଙ୍କୁ ଦୁଷ୍କର୍ମ ଧମକ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନିର୍ବାଚନ ପରଠାରୁ ସୁକିନ୍ଦା ଅଶାନ୍ତ ହୋଇଛି । ବିଜେପି କର୍ମୀ ଗୁଣ୍ଡାରାଜ ଚଳାଇଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେବା ସହିତ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଭିନ୍ନ ସମୟରେ ବିଜେଡି କର୍ମୀଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରାଯାଉଛି ତ ଅନ୍ୟ କେଉଁଠି ଚାନ୍ଦା ପାଇଁ ଆତଙ୍କ ସୃଷ୍ଟି କରାଯାଉଛି। ନିକଟରେ ଚାନ୍ଦା ପାଇଁ ରେଙ୍ଗାଲି କେନାଲ ଖନନ କାର୍ଯ୍ୟ କରୁଥିବା ଠିକା ସଂସ୍ଥା କର୍ମଚାରୀଙ୍କୁ ଆକ୍ରମଣ କରାଯାଇଛି । ଚଳିତ ମାସ ୨୨ ତାରିଖ ଘଟଣା ସବୁ ସୀମା ଟପି ଯାଇଛି । ଘରେ ସ୍ୱାମୀ ନଥିଲା ବେଳେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା ଧମକ ଦେବା ସହିତ ଡେରି ରାତିରେ ପୁନର୍ବାର ତାଙ୍କ ଘରେ ପଶି ତାଙ୍କ ଦୁଇ ଝିଅଙ୍କୁ ଦୁଷ୍କର୍ମ କରିବା ଭଳି ଘୃଣ୍ୟ ଧମକ ଦେଇଛନ୍ତି ବିଜେପିର ତଥା କଥିତ ନେତା ଓ ଗୁଣ୍ଡା । ଧମକ ସମୟରେ ପୋଲିସ ଆମର କିଛି କରି ପାରିବ ନାହିଁ ବୋଲି ମଧ୍ୟ ଧମକ ଦେଇଛନ୍ତି । ଯାହାକୁ ନେଇ କେବଳ କାଳିଆପାଣି ପଞ୍ଚାୟତ ନୁହେଁ ସମଗ୍ର ସୁକିନ୍ଦାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଶିକ୍ଷୟିତ୍ରୀ ପ୍ରତିମା ସ୍ୱାଇଁ ତାଙ୍କ ଘରେ ଥିଲା ବେଳେ ସନ୍ଧ୍ୟା ସମୟରେ ମାନସ ସ୍ୱାଇଁ, ଦିନେଶ ବେହୁରା, ଶିଶିର ଗୋଚ୍ଛାୟତ, ଅଶୋକ ପ୍ରଧାନ ଓ ଶିଶିର ଗୋଚ୍ଛାୟତଙ୍କ ପତ୍ନୀ ତାଙ୍କ ଘରକୁ ଆସି ତାଙ୍କ ଚରିତ୍ରକୁ ଆକ୍ଷେପ କରିଥିଲେ । ସେ ଏହାର ବିରୋଧ କରିବାରୁ ଦିନେଶ ଉତକ୍ଷିପ୍ତ ହୋଇ ତାଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ଚରିତ୍ର ସଂହାର କରିଥିଲେ । ତାଙ୍କ ସ୍ୱାମୀ ଘରେ ଉପସ୍ଥିତ ନଥିବାରୁ ଦୁଇ ଝିଅଙ୍କ ସହିତ ସେ ଘର ଭିତରକୁ ଯାଇ କବାଟ ଦେଇ ଦେଇଥିଲେ । ହେଲେ ପଦାରେ ଥିବା ଲୋକମାନେ ତାଙ୍କ ଝିଅଙ୍କ ଚରିତ୍ର ନେଇ ଆକ୍ଷେପ କରିବାରୁ ସେ ପଦାକୁ ଆସି ତାର ବିରୋଧ କରିଥିଲେ । ହେଲେ ଦିନେଶ ତାଙ୍କୁ ଜୀବନରେ ମାରିଦେବାକୁ କହିଥିଲେ । ସେ ପୋଲିସରେ ଅଭିଯୋଗ କରିବାକୁ କହିବାରୁ ଯା ପୋଲିସ ମୋର କିଛି କରି ପାରିବ ନାହିଁ ବୋଲି କହିଥିଲେ । ଏହା ପରେ ମା ଓ ଦୁଇଝିଅ ଭୟରେ ଘରେ ରହିଥିଲେ । ପରଦିନ ସନ୍ଧ୍ୟାରେ ତାଙ୍କ ସ୍ୱାମୀ ଆସିଲା ପରେ ଏ ନେଇ ଆଲୋଚନା କରି ଘରେ ଥିଲା ବେଳେ ଦିନେଶଙ୍କ ବଡ଼ ପୁଅ ଅନ୍ୟ ପାଞ୍ଚ ଛଅ ଜଣ ଯୁବକଙ୍କ ସହିତ ବିଭିନ୍ନ ମାରଣାସ୍ତ୍ର ଧରି ଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କୁ ଖୋଜିଥଲେ । ଶିକ୍ଷୟିତ୍ରୀ ମୋ ସ୍ୱାମୀଙ୍କୁ କାହିଁକି ଖୋଜୁଛ ବୋଲି ପଚାରିବାରୁ ଆମେ ତାକୁ ଟେକିନେବୁ ବୋଲି କହିଥିଲେ । ସେ ପ୍ରତିବାଦ କରିବାରୁ ଓ ତାଙ୍କ ଝିଅ ମୋବାଇଲରେ ପୋଲିସକୁ ଡାକିବାକୁ ଉଦ୍ୟମ କରିବାରୁ ମୋବାଇଲ ଭାଙ୍ଗି ଦେଇ ତୋ ଝିଅକୁ ଦୁଷ୍କର୍ମ କରିବୁ ବୋଲି ମଧ୍ୟ ଧମକ ଦେଇଥିଲେ । ବେଶ କିଛି ସମୟ ଧରି ଯୁବକ ମାନେ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିଲେ । ଏହି ଘଟଣା ପରେ ଉକ୍ତ ପରିବାର ଅତ୍ୟନ୍ତ ଭୟ ଭିତ ଅବସ୍ଥାରେ ଥିବା ବେଳେ ପୋଲିସ ଏ ନେଇ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇଛି । ଏଠାରେ ପ୍ରଶ୍ନ ଉଠେ ଦୁଇ ଦୁଇ ଥର ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ଦୁଇ ଝିଅଙ୍କ ଚରିତ୍ର ସଂହାର କରି ହତ୍ୟା ସହିତ ଦୁଷ୍କର୍ମର ଧମକ ଦେଇଥିବା ଏହି ଆସାମାଜିକ ଯୁବକଙ୍କ ବିରୁଦ୍ଧରେ ପୋଲିସ ପଦକ୍ଷେପ ନେବ ନା ଚୁପ ବସିବ ।

The post ସୁକିନ୍ଦାରେ ସୀମା ଟପିଲାଣି ଗୁଣ୍ଡାରାଜ,ଶିକ୍ଷୟିତ୍ରୀଙ୍କୁ ହତ୍ୟା ଧମକ ଓ ଝିଅଙ୍କୁ ଦୁଷ୍କର୍ମ ଧମକ appeared first on orissaleads.

News