ମାଓବାଦୀଙ୍କ ସ୍ଥିତି ନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ- ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗୋଟିଏ ସମୟରେ ଓଡ଼ିଶା ମାଓବାଦୀ ମୁକ୍ତ ରାଜ୍ୟ ଭାବେ ଘୋଷଣା ହୋଇଥିଲା । ହେଲେ ବିଜେପି ସରକାର କ୍ଷମତାକୁ ଆସିଲାର ମାତ୍ର ଦଶ ମାସ ମଧ୍ୟରେ ରାଜ୍ୟର ତିନିଟି ଜିଲ୍ଲା ଢେଙ୍କାନାଳ, କେନ୍ଦୁଝର ଓ ଯାଜପୁରରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଥିବା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଛି । ହେଲେ ଏହାକୁ ରୋକିବା ପାଇଁ ସରକାର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରି ସ୍ପଷ୍ଟୀକରଣ ଚାହିଁଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଇଂ ଘଡାଇ କହିଛନ୍ତି ୨୦୧୩ ମସିହାରେ ରାଜ୍ୟ ମାଓ ମୁକ୍ତ ରାଜ୍ୟ ଭାବେ ଘୋଷଣା ହୋଇଥିଲା । ହେଲେ ବିଜେପି ସରକାର ଆସିବାର ଦଶ ମାସ ମଧ୍ୟରେ ରାଜ୍ୟରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି । ମାଓବାଦୀ ମାନେ ଖୋଲାରେ ଅସ୍ତ୍ର ଶସ୍ତ୍ର ଧରି ବୁଲୁଥିଲା ବେଳେ ଲୋକଙ୍କୁ ନିଜ ଦଳରେ ସାମିଲ କରିବାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହା ସହିତ ସେମାନେ ସ୍ଥାନୀୟ ଅଞ୍ଚଳରୁ ଚାନ୍ଦା ଆଦାୟ କରିବା ମଧ୍ୟ ଆରମ୍ଭ କରିଛନ୍ତି । ବିଧାନସଭାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ରାଜ୍ୟରେ ୧୨୦ ଜଣ ମାଓବାଦୀ ସକ୍ରିୟ ଅଛନ୍ତି । ୨୦୨୬ ସୁଦ୍ଧା ରାଜ୍ୟକୁ ମାଓବାଦୀ ମୁକ୍ତ କରାଯିବା ଲକ୍ଷ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ଅନ୍ତରୀଣ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ଅନ୍ତରୀଣ ସୁରକ୍ଷା ବିପଦ ଆଡ଼କୁ ଯାଉଥିଲା ବେଳେ ରାଜ୍ୟ ଗୃହ ବିଭାଗ ଓ ପୋଲିସ କୌଣସି ପଦକ୍ଷେପ ନେବାରେ ବିଫଳ ହୋଇଥିବା ସେ ଆରୋପ ଲଗାଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଓଡ଼ିଶା ମାଓବାଦୀ ମୁକ୍ତ ହୋଇଥିଲା । ହେଲେ ମାତ୍ର ବାର ମାସ ମଧ୍ୟରେ ମାଓବାଦୀ ନିଜର ଉପସ୍ଥିତି ପୁଣି ଜାହିର କରିଛନ୍ତି । ମାଓବାଦୀ ଗତିବିଧି ବୃଦ୍ଧି ଯୋଗୁ ରାଜ୍ୟର ଅନ୍ତରୀଣ ସୁରକ୍ଷା ବିପର୍ଯ୍ୟସ୍ତ ହେବାର ଆଶଙ୍କା ଯେ ରହିଛି ତାହା ନୁହେଁ ବରଂ ରାଜ୍ୟରେ ହେବାକୁ ଯାଉଥିବା ପୁଞ୍ଜି ନିବେଶକୁ ପ୍ରତିହତ କରିବା ସହିତ ରାଜ୍ୟର ପ୍ରଗତିକୁ ମଧ୍ୟ ଗତିରୋଧ କରିବ । ବିଶେଷ କରି ରାଜ୍ୟର ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଏହି ପୁଞ୍ଜି ନିବେଶର ପ୍ରସ୍ତାବ ରହିଛି । ରାଜ୍ୟର ଅନ୍ତରୀଣ ସୁରକ୍ଷା ବିପର୍ଯ୍ୟସ୍ତ ହେଲେ ପୁଞ୍ଜି ନିବେଶକାରୀ ଓହରି ଯିବାର ଆଶଙ୍କା ରହିଛି । ଶ୍ରୀ ଘଡାଇ ଆହୁରି ମଧ୍ୟ କହିଛନ୍ତି ରାଜ୍ୟର ଡବଲ ଇଞ୍ଜିନ ସରକାର ବିଭିନ୍ନ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛନ୍ତି । ହେଲେ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛି । ଏପରି ସ୍ଥଳେ ମାଓ ଦମନ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ସ୍ପଷ୍ଟୀକରଣ ଦେବା ଜରୁରୀ ହୋଇଛି ।
The post ମାଓବାଦୀଙ୍କ ସ୍ଥିତି ନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ- ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ appeared first on orissaleads.
News