ସୁକିନ୍ଦାରେ ଚାନ୍ଦା ଆତଙ୍କ, ଥାନାରେ ଅଭିଯୋଗ କଲା ଠିକା ସଂସ୍ଥା
ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଏବେ ଚାନ୍ଦା ଆତଙ୍କ ଦେଖାଦେଇଛି । ବିଭିନ୍ନ ଶିଳ୍ପ ସଂସ୍ଥା ସହିତ ଠିକା ସଂସ୍ଥାକୁ ବିପୁଳ ଚାନ୍ଦା ମଗା ଯାଉଥିବା ଅଭିଯୋଗ ହେଉଛି । ଏହାକୁ ନେଇ ପ୍ରମାଦ ଗଣିଲେଣି ଶିଳ୍ପ ସଂସ୍ଥା ଓ ଠିକା ସଂସ୍ଥା । ଏକ ଠିକା ସଂସ୍ଥାକୁ ଚାନ୍ଦା ପାଇଁ ଧମକ ଦେବାକୁ ନେଇ ଠିକା ସଂସ୍ଥା ପୋଲିସ ନିକଟରେ ଅଭିଯୋଗ କରିଛି ।
ସୁକିନ୍ଦାର ଜୀବନ ରେଖା କୁହା ଯାଉଥିବା ରେଙ୍ଗାଲି କେନାଲର ବାମ ପାର୍ଶ୍ଵରେ ଫେଜ-୨ ଖନନ କାର୍ଯ୍ୟ ଚାଲୁ ରହିଛି । ଠିକା ସଂସ୍ଥା ଆଇରନ ଟ୍ରାଙ୍ଗଲ ଏହି କାର୍ଯ୍ୟ କରୁଛି । ସୂଚନା ଅନୁଯାୟୀ ନଡ଼ିଆ ଭଙ୍ଗା ପଞ୍ଚାୟତର କିଛି ଯୁବକ ମିଳିତ ହୋଇ କାର୍ଯ୍ୟ ସ୍ଥଳକୁ ଯାଇ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହିତ କାମ ବନ୍ଦ କରିବାକୁ ଧମକ ଦେଇଥିଲେ । ଏହା ସହିତ କିଛି କର୍ମଚାରୀଙ୍କୁ ଆକ୍ରମଣ କରି କାମ କଲେ ଆମକୁ ଚାନ୍ଦା ଦେବାକୁ ପଡିବ ବୋଲି ଖୋଲା ଖୋଲି ଭାବେ ଚେତାବନୀ ଦେଇଥିଲେ । ଏ ବିଷୟରେ ଖବର ପାଇ କମ୍ପାନୀ ପରିଚାଳକ ରତ୍ନାକର ବାରିକ କଳିଙ୍ଗ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ବାରିକ ନିଜ ଏତଲାରେ ଏକାଧିକ ଯୁବକଙ୍କ ନାମ ଦେଇଥିବା ଜଣାଯାଇଛି । ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
The post ସୁକିନ୍ଦାରେ ଚାନ୍ଦା ଆତଙ୍କ, ଥାନାରେ ଅଭିଯୋଗ କଲା ଠିକା ସଂସ୍ଥା appeared first on orissaleads.
News